News World Odisha
Current News Updates

ଥରେ ପଢ଼ନ୍ତୁ ମୋ କାହାଣୀ…

ବେବିନା ଦେଇଛି ଲୁହର ଚିଠି

0 6,398

Get real time updates directly on you device, subscribe now.

ମୁଁ ବେବିନା କହୁଛି…

ମତେ ଚିହ୍ନି ପାରୁଛ ? ମତେ ଜାଣି ପାରୁଛ ? ମୁଁ ବେବିନା…ବେବିନା ବେହେରା । ପିପିଲି ପୋପରଙ୍ଗା ଅର୍ଜୁନଗୋଦା ଗାଁର ବେବିନା ବେହେରା । ମୁଁ ଜାଣେ ମତେ ସବୁ ଭୁଲିଯାଇଥିବ । ନିର୍ଭୟାକୁ ତ ଭୁଲିଗଲ ମତେ କେମିତି ମନେ ରଖନ୍ତ ଯେ । ମୋ ମରିବାକୁ ପରା ୭ ବର୍ଷ ବିତିଲାଣି, ଭୁଲିବାଟା ସ୍ବାଭାବିକ । ତାପରେ ମୁଁ କଣ ତମ ଝିଅ କି ଭଉଣୀ ହୋଇଛି ଯେ ମତେ ମନେରଖିବ, ମୋ କଥା ଭାବିବ, ମୋ ପାଇଁ ଲୁହ ଗଡ଼େଇବ ଆଉ ମୋ ନ୍ୟାୟ ପାଇଁ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବ । ମୁଁ ପରା ଗରିବ ଝିଅ, ଦଳିତ ପରିବାରର ଝିଅ । ମୋ ପାଇଁ ପୋଲିସ କାଇଁ, ପ୍ରଶାସନ କାଇଁ, ନ୍ୟାୟ କାଇଁ । ଯଦି ଆଇନ କାନୁନ କିଛି ଥାଆନ୍ତା ତାହାଲେ କାଲି କଣ ନର ମାଂସ ଖିଆ ରାକ୍ଷସମାନେ ନିର୍ଦ୍ଦୋଷରେ ଖସି ଯାଇଥାନ୍ତେ ନା  ଆଜି ସକାଳେ ଗାଁ ଦାଣ୍ଡରେ ଛାତି ଫୁଲାଇ ଚାଲିଥାନ୍ତେ  । ଆମ ହାତରେ କିଛି ନାହିଁ, ସବୁ ତାଙ୍କ ହାତରେ । ପୋଲିସ ତାଙ୍କ ହାତରେ…ପାୱାର ତାଙ୍କ ହାତରେ । କାଲିର ରାୟ ହିଁ ପ୍ରମାଣ କରିଦେଲା ଗରିବଙ୍କ ପାଇଁ କେହି ନାହିଁ । ଆଉ ମୋ ଦାଦା ଖାଲି କ୍ରାଇମବ୍ରାଞ୍ଚକୁ ଦୋଷ ଦେଲେ କଣ ହେବ, ସେମାନେ କଣ ଆଉ ଥରେ ଦଣ୍ଡ ପାଇବେ ନା ମୋ ଆତ୍ମା ଶାନ୍ତି ପାଇବ…? ଅଭିଯୁକ୍ତ ଖଲାସ ହେବା ପରେ ସମସ୍ତେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କ୍ରାଇମବ୍ରାଞ୍ଚକୁ ଦୋଷ ଦେଉଛନ୍ତି, ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଉଛନ୍ତି, ମତେ ମାରିଲା କିଏ ବୋଲି ହେଡଲାଇନ ବି କରୁଛନ୍ତି । ଯେତେ ଯାହା ହେଲେ କଣ ହେବ, ଦୋଷୀ ତ ଛାତି ଫୁଲେଇ ବୁଲୁଛି ନା ?? କାଲି ବେବିନା ଭଳି ଶହେ ବେବିନାଙ୍କ ଛାତିରେ ମୁହଁ ରଖି ସେ ରାକ୍ଷସମାନେ ରକ୍ତ ନ ପିଇବେ ବୋଲି କଣ ଗ୍ୟାରେଣ୍ଟି ଅଛି…???

ବେବିନାର କୋହ…

ହୁଏତ ମୋ ସହ ହୋଇଥିବା ଜଘନ୍ୟକାଣ୍ଡ  କଥା ଆପଣମାନେ ଭୁଲି ଯାଇଥିବେ । ଆଉ ଥରେ ଧୈର୍ଯ୍ୟ ଧରି ଶୁଣନ୍ତୁ; ମୋ ସହ, ମୋ ଦେହ ସହ କଣ କରିଥିଲେ ସେ ନରରାକ୍ଷସ…?

ସେଦିନ ଥିଲା ମଙ୍ଗଳବାର, ୨୯ ନଭେମ୍ବର ୨୦୧୧ । ସବୁଦିନ ପରି ସେଦିନ ବି ସକାଳେ ବିଲକୁ ଶୌଚ ପାଇଁ ମୁଁ ଆସୁଥିଲି । ଆସିବା ବାଟରେ କିଛି ଦୁର୍ବୃତ୍ତ ମତେ ବିଲକୁ ଟାଣି ନେଇଥିଲେ । ଆଉ ତାପରେ…ଆଉ ତାପରେ ଜଣେ ପରେ ଜଣେ ମୋତେ କୁକୁର ଭଳି ଝୁଣିବାରେ ଲାଗିଥିଲେ। ମୋ ଦେହକୁ ଖିନଭିନ କରିଦେଇଥିଲେ । ଜଣେ କି ଦୁଇ ଜଣ ନୁହେଁ ୫ ଜଣ ଦୁଷ୍କର୍ମ କରି ଚାଲିଥିଲେ । ଭୋକ ମେଣ୍ଟିବା ପରେ ସେମାନେ ମୋତେ ସେଇ ବିଲ ମଝିରେ ହିଁ ପିଙ୍ଗିଦେଇ ପଳାଇଥିଲେ । ଅନେକ ସମୟ ଯନ୍ତ୍ରଣାରେ ଛଟପଟ ହୋଇ ସେହି ବିଲରେ ପଡ଼ି ରହିଲି  । ଠିକ ସେତିକି ବେଳେ ଦେବତା ପରି ଜଣେ ଟ୍ରାକ୍ଟର ଡ୍ରାଇଭର ଆସି ମତେ ଉଠାଇଲେ ଆଉ ଘର ଲୋକଙ୍କୁ ଡାକି ପିପିଲି ମେଡିକାଲ ନେଲେ । ମୋ ଦେହ ଧିରେଧିରେ ବିଗିଡ଼ିବାରେ ଲାଗିଥାଏ । ମତେ ପିପିଲିରୁ କ୍ୟାପିଟାଲ ଆଉ ପରେ ଏସସିବି ନେଇ ଆଇସିୟୁରେ ରଖାଗଲା ।

ସେପଟେ ମୋ ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହେଲା । ଚାପ ପଡ଼ିବାରୁ ଦୁଷ୍କର୍ମର ଦୁଇ ମାସ ପରେ ପିପିଲି ଥାନାରେ ମାମଲା ହେଲା  । ପିପିଲି ଆଇଆଇସିଙ୍କୁ ବହିଷ୍କାର କରାଗଲା । ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଗଲା । ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦିଆଗଲା । ରାଜ୍ୟ ରାଜନୀତିରେ ଝଡ଼ ବହିଲା । ଦୋଷୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତ୍ରୀପଦ ଗଲା । ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଗଲା । ସେପଟେ ମୋର ବଞ୍ଚିବାର ଆଶା ଧିରେଧିରେ ମଉଳି ଯାଉଥିଲା ଆଉ ଶେଷରେ ୨୧ ଜୁନ ୨୦୧୨ ଗୁରୁବାର ପବିତ୍ର ରଥଯାତ୍ରା ଦିନ ଏ ଦୁନିଆ ଛାଡ଼ି ସବୁଦିନ ପାଇଁ ମୋତେ ଯିବାକୁ ପଡ଼ିଲା… ଆଉ ଆଜି ମୋ ହତ୍ୟାକାରୀଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କଲା…ବାଃ କି ନ୍ୟାୟ…କି ବ୍ୟବସ୍ଥା ଇଏ…??

ମୋତେ ନ୍ୟାୟ ମିଳିବାରେ କେଉଁଠି କେଁ ରହିଲା…

ମୋତେ ନ୍ୟାୟ ନ ମିଳିବା ପଛରେ ଅନେକ କାରଣ ଅଛି । ଘଟଣା ଘଟିବାର ୨ ମାସ ପରେ ମାମଲା ରୁଜୁ ହେଲା । ମାମଲା ରୁଜୁରେ ବିଳମ୍ବ ହେବାରୁ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଇବାରେ ପୋଲିସ ସକ୍ଷମ ହେଲା । ଆଉ ତାରି ଭିତରେ ମୋ ପରିବାରକୁ ମୁହଁ ଖୋଲିଲେ ମାରିଦେବାକୁ ଧମକ ବି ଦିଆଯାଉଥିଲା  । ଦୁଷ୍କର୍ମର ୨୪ ଘଣ୍ଟା ନୁହେଁ ବରଂ ୪ ମାସ ପରେ ମୋର ଡାକ୍ତର ମାଇନା କରାଗଲା ଯାହା ଧର୍ମକୁ ଆଖିଠାର ଭଳି । ୪ ମାସ ପରେ ମୋ ଦେହରେ କେଉଁ ଚିହ୍ନ ଥାଆନ୍ତା ଯେ ସେମାନଙ୍କୁ ଧରିବାର ସୁରାକ ମିଳନ୍ତା । ସମ୍ବେଦନଶୀଳ ଘଟଣାରେ ଶୀଘ୍ର ମାମଲା ହୋଇଥିଲେ ହୁଏତ ମତେ ନ୍ୟାୟ ମିଳିପାରିଥାନ୍ତା…ହୁଏତ ମୋ ଆତ୍ମା ଅତୃ୍ପ୍ତ ହୋଇନଥାନ୍ତା…???

      (ଇତି)

ଆପଣଙ୍କ ବେବିନା

Get real time updates directly on you device, subscribe now.

Comments
Loading...