News World Odisha
Current News Updates

ଥଣ୍ଡାର ଥାର୍ଡ ଡିଗ୍ରୀ

ସପ୍ତାହେ ଯାଏଁ ଜାଡରୁ ନିସ୍ତାର ନାହିଁ,ଜନଜୀବନ ପ୍ରଭାବିତ

0 91

ଶୀତରେ ଥରୁଛି ସାରା ଓଡ଼ିଶା। ଗାଁଠୁ ନେଇ ସହର ସବୁଠି ହାଡ଼ଭଙ୍ଗା ଶୀତ। ଲଗାତାର ୪ ଦିନ ହେଲାଣି ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି। ଆହୁରି ୭ ଦିନ ଯାଏଁ ଜାଡରୁ ନିସ୍ତାର ନାହିଁ। ଶେଷ ଥର ଲାଗି ୨୦୧୪ ଡିସେମ୍ୱର ମାସରେ ଲଗାତାର ୮ ଦିନ ଯାଏଁ ୧୦ରୁ ଅଧିକ ସହରରେ ପାରଦ ୧୦ ଡିଗ୍ରି ତଳକୁ ଖସିଥିଲା । ଦାରିଙ୍ଗବାଡ଼ି ଓ ଫୁଲବାଣୀର ପାରଦ ୩ ଡିଗ୍ରି ତଳକୁ ଖସି ଆସିଥିଲା। ଏଥର ତା ଠାରୁ ଅଧିକ ଥରାଇବ ଶୀତ। ପାଣିପାଗ ବିଭାଗ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି । ୩୧ ତାରିଖ ଯାଏଁ ସାରା ରାଜ୍ୟରେ ଲାଗି ରହିବ ଥଣ୍ଡାର ଥାର୍ଡ ଡିଗ୍ରୀ।

ରାତିରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ। ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାରଦ ସର୍ବନିମ୍ନ ସ୍ତରକୁ ଚାଲିଆସିବ। ଉପକୂଳ ଓ ପଶ୍ଚିମ ଓଡ଼ିଶାର ସହରଗୁଡ଼ିକର ସର୍ବନିମ୍ନ ପାରଦ ୧୦ ଡିଗ୍ରୀ ତଳେ ରହିପାରେ। ଫୁଲବାଣୀର ପାରଦ ଏବେ ସର୍ବନିମ୍ନ ସ୍ତରକୁ ଛୁଇଁଛି। ଗତକାଲି ରାତିରେ ଏଠାରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିଥିଲା। ଗତ ୩ ଦିନ ମଧ୍ୟରେ ଏଠାରେ ପାରଦ ଲଗାତାର ଭାବେ ଖସି ଚାଲିଛି। ୫ରୁ ୬ ଡିଗ୍ରି ଯାଏଁ କମିଥିବାରୁ ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରୁ ନାହାନ୍ତି। ରାତି ଯେତିକି ବଢ଼ୁଛି ଥଣ୍ଡା ମଧ୍ୟ ସେତିକି ବଢୁଛି। ଅନ୍ୟପଟେ ପ୍ରବଳ ଶୀତ

ଭୁବନେଶ୍ୱରରେ ପାରଦ ପୁଣିଥରେ ୧୧.୨ ଡିଗ୍ରିରେ ପହଞ୍ଚିଛି। ଆହୁରି ୩ରୁ ୪ ଦିନ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଫୁଲବାଣୀରେ ବି ପ୍ରବଳ କୁହୁଡ଼ି ପଡ଼ିବ। ୨୭ ଓ ୨୮ ତାରିଖ ବେଳକୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ହାଲକା ବର୍ଷା ହୋଇପାରେ। ଏବେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ମାତ୍ରା ବହୁତ କମ୍ ରହୁଛି। ପ୍ରତିବର୍ଷ ଏହି ସମୟରେ ଉତ୍ତର ପଶ୍ଚିମ ଭାରତରୁ ପଶ୍ଚିମା ବାୟୁ ଆସିବା ପୂର୍ବରୁ ତାପମାତ୍ରା ବଢ଼ିଥାଏ। ଆକାଶ ମେଘମୁକ୍ତ ରହୁଛି। ଯେଉଁ ହାଲ୍କା ପବନ ହେଉଛି ସେଥିରେ ଜଳୀୟ ବାଷ୍ପ ଶୁଖିଯାଉଛି। ସମୁଦ୍ର ଆଡ଼ୁ ପବନର ପ୍ରବାହ ନାହିଁ। ତେଣୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ନୂଆବର୍ଷ ପରେ ପୁଣି ତାପମାତ୍ରା ବଢ଼ିବ। ଅନ୍ୟପକ୍ଷରେ ରାତିର ତାପମାତ୍ରା କମ୍ ରହୁଥିବାରୁ ଉପଯୁକ୍ତ ପଦକ୍ଷେପ ନେବାକୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି।

 

 

 

Get real time updates directly on you device, subscribe now.

Comments
Loading...