News World Odisha
Current News Updates

ଜୁଆରିଆ ନଈକୁ ଡେଇଁଲେ, ଜୀବନ ବଞ୍ଚାଇଲେ…

0 1,029

Get real time updates directly on you device, subscribe now.

କାନରେ ବାଜିଲା ବଞ୍ଚାଅ…ବଞ୍ଚାଅର ଆର୍ତ୍ତଚିତ୍କାର । ମୃତ୍ୟୁ ମୁହଁରୁ ବଞ୍ଚିବାକୁ ବୁକୁଫଟା ଚିତ୍କାର କରୁଥିବା ୫୫ ଜଣ ଲୋକଙ୍କ ଛାତିଥରା ଡାକରେ ରହିପାରିଲେନି ଦୁଇ ଭଉଣୀ  । ନଈ କୂଳର ସେ ଅଶୁଭ ଅନ୍ଧାର ଚିରି ଭାସୁ ଆସୁଥିବା ଚିତ୍କାରରେ ସାଙ୍ଗେସାଙ୍ଗେ ଘରୁ ବାହାରି ଆସିଲେ ୨ ଭଉଣୀ  । ଆଉ ହାଡ଼ଥରା ଜାଡ଼, ଜୁଆରିଆ ନଈକୁ ବେଖାତିର କରି ପାଣି ଭିତରକୁ ଡେଇଁ ପଡ଼ିଲେ  । ଅନ୍ୟର ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ପାଣି ଛଡ଼ାଇ କାଳ ସଞ୍ଜର ସେ କଳା ପାଣିକୁ ଲମ୍ଫଦେଲେ ଦୁହେଁ  । ପାଣି ଭିତରେ କୁମ୍ଭୀର ଭୟ ଥିଲେ ବି କାନ୍ଦର କରୁଣ ଶବ୍ଦ ଆଗରେ କୁମ୍ଭୀର ଭୟ ପଛରେ ପଡ଼ିଗଲା  । ବୁଡ଼ିଯାଉଥିବା ଛୋଟଛୋଟ ପିଲାଙ୍କୁ ଉଦ୍ଧାର କରିଥିବା ୨ ଭଉଣୀ ୩ରୁ ୪ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟମାନଙ୍କୁ ବଞ୍ଚାଇ ପାରିନଥିବାରୁ କାଲି ସନ୍ଧ୍ୟାର ସେ କଳା କାହାଣୀ କହୁଥିବା ବେଳେ କୋହ ସମ୍ବରଣ କରିପାରି ନଥିଲେ ୨ ଭଉଣୀ ପୂର୍ଣ୍ଣିମା ଗିରି ଓ ସବିତା ଗିରି  ।

ଲୋକଙ୍କ ପାଟିଶୁଣି ଆମେ ଦୁହେଁ ନଈକୁ ଡେଇଁ ପଡ଼ିଥିଲୁ ଆଉ କିଛି ଲୋକଙ୍କୁ ଉଦ୍ଧାର କଲୁ  । ଆଖି ଆଗରେ ସାନସାନ ଭାଉଭଉଣୀଙ୍କୁ ବୁଡ଼ିଯାଉଥିବାର ଦେଖି ଭାରି ଦୁଃଖ ଲାଗିଲା ଯେ ସେମାନଙ୍କୁ ରକ୍ଷା କରି ପାରିଲୁନି  ବୋଲି କହିଛନ୍ତି ୨ ଭଉଣୀ  । ତେବେ ବଡ଼ ହେଲେ ପୂର୍ଣ୍ଣିମା ନର୍ସ ହେବେ ଆଉ ସବିତା ପୋଲିସ ହେବାକୁ ଲକ୍ଷ୍ୟ ରଖିଛନ୍ତି  । ଜୀବନ ବଞ୍ଚାଇ ଅନ୍ୟର ସୁଖ ଫେରାଇଥିବା ୨ ଭଉଣୀଙ୍କୁ ତାଙ୍କ ସ୍ବପ୍ନ ପୂରଣ କରିବାରେ ଭଗବାନ ସାହା ହେବେ ବୋଲି ଉଦ୍ଧାର ପାଇଥିବା ଲୋକ କହିଛନ୍ତି  ।

Get real time updates directly on you device, subscribe now.

Comments
Loading...