News World Odisha
Current News Updates

ଆଜିଠୁ ୨ ଦିନିଆ ଭାରତ ବନ୍ଦ ଡାକରା

୧୨ ଦଫା ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ବନ୍ଦ ଡାକରା, ସ୍କୁଲ, କଲେଜ ସମେତ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ

0 107

ଆଜିଠୁ ୨ ଦିନିଆ ଭାରତ ବନ୍ଦ ଡାକରା । ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍, ସ୍ୱାଧୀନ ଫେଡେରେସନ୍ ଓ ଆସୋସିଏସନ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଦ୍ୱାରା ଦିଆଯାଇଛି ବନ୍ଦ ଡାକରା । ଏହି ୪୮ ଘଣ୍ଟିଆ ଧର୍ମଘଟ ଡାକରାକୁ ବିଜେପିକୁ ଛାଡି ଅନ୍ୟ ରାଜନୈତିକ ଦଳ ସମର୍ଥନ ଦେଇଛନ୍ତି। ଏପରିକି କଂଗ୍ରେସ ଓ ବିଜେଡି ଶ୍ରମିକ ସାମ୍ମୁଖ୍ୟ ମଧ୍ୟ ଏହି ହରତାଳକୁ ସମର୍ଥନ ଦେବା ନେଇ ଘୋଷଣା କରିଛି ।  ଏହି ହରତାଳରେ ଭାରତ ମଜଦୁର ସଂଘ ବା ବିଏମ୍ଏସ୍ ସାମିଲ ହେବ ନାହିଁ । ଭୁବନେଶ୍ୱରରେ ୨୦ ହଜାରରୁ ଅଧିକ ଶ୍ରମିକ ଧର୍ମଘଟକୁ ଓହ୍ଲାଇବାକୁ ଯାଉଥିବା କୁହାଯାଉଛି। ଧର୍ମଘଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ  ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ୯ ତାରିଖରେ ସ୍କୁଲଗୁଡ଼ିକ ବନ୍ଦ ରହିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି।

ସେହିପରି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଆଜି ବନ୍ଦ ରହିବ। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ମଧ୍ୟ ଦୁଇ ଦିନ ପାଇଁ ବନ୍ଦ ରହିବ। ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ପ୍ରିବୋର୍ଡ ପରୀକ୍ଷାକୁ ମଧ୍ୟ ବାତିଲ୍ କରାଯାଇଛି। ୮ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ସମସ୍ତ ବିଦ୍ୟାଳୟକୁ ଅବଗତ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରେ ଥିବା ଡିଏଭି ସ୍କୁଲଗୁଡ଼ିକର କ୍ଲାସ ପରୀକ୍ଷା ବାତିଲ୍ ହୋଇଛି। ୩ୟରୁ ୮ମ ଶ୍ରେଣୀ,ନବମ ଓ ଏକାଦଶ ଶ୍ରେଣୀ ପରୀକ୍ଷା ବାତିଲ୍ ହୋଇଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ବାତିଲ୍ ହୋଇଛି। ବାଣୀବିହାର ଡିଡିସିଇର ପିଜି ପରୀକ୍ଷା ଓ ବିଶ୍ୱବିଦ୍ୟାଳୟ ଅଧୀନ ଲ’ କଲେଜ ଗୁଡିକରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ବାତିଲ କରାଯାଇଥିବା ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ସୂଚନା ଦେଇଛନ୍ତି। ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସ˚ଘ। ଓଷ୍ଟା ପ୍ରତ୍ୟକ୍ଷ ଭାବେ ଏହି ଧର୍ମଘଟରେ ସାମିଲ ହେବ ବୋଲି ଏହାର ସାଧାରଣ ସ˚ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି। ସଚିବାଳୟରେ ସକାଳ ୧୦ଟା ୧୫ ପୂର୍ବରୁ ସମସ୍ତ କର୍ମଚାରୀ ପହଞ୍ଚିବା ଲାଗି ନିର୍ଦ୍ଦେଶ ରହିଛି ।

Get real time updates directly on you device, subscribe now.

Comments
Loading...