News World Odisha
Current News Updates

ସେଇଫର୍ଟଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି-୨୦ରେ ୮୦ ରନରେ ହାରିଲା ଭାରତ

0 85

Get real time updates directly on you device, subscribe now.

ଦିନିକିଆ ସିରିଜକୁ ୪-୧ରେ ଜିତି ଆତ୍ମ ବିଶ୍ଵାସରେ ଭରି ରହିଥିବା ଭାରତୀୟ ଦଳ ପ୍ରଥମେ ଟି-୨୦ ମ୍ୟାଚରେ ଶୋଚନୀୟ ପରାସ୍ତ ହୋଇଛି । ଟିମ୍ ସେଇଫର୍ଟଙ୍କ ଧୂଆଁଧାର ବ୍ୟାଟିଂ ଏବଂ ପରେ ବୋଲରଙ୍କ ସଫଳତା ବଳରେ ଏଠାରେ  ଖେଳାଯାଇଥିବା ପ୍ରଥମ ଟି-୨୦ ମୁକାବିଲାରେ ନ୍ୟୁଜିଲାଣ୍ଡ ଭ୍ରମଣକାରୀ ଭାରତକୁ ୮୦ ରନରେ ପରାସ୍ତ କରିଛି। ଏହା ସହିତ ଘରୋଇ ଦଳ ତିନି ମ୍ୟାଚ୍ ବିଶିଷ୍ଟ  ଟି-୨୦ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସେଇଫର୍ଟଙ୍କ ବିସ୍ଫୋରକ ୮୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ବିଶାଳ ୨୧୯ ରନ କରିଥିଲା। ଜବାବରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ୧୯.୨ ଓଭରରେ ୧୩୯ ରନରେ ଅଲଆଉଟ୍ ହୋଇଛି। ଭାରତ  ପକ୍ଷରୁ ମହେନ୍ଦ୍ର ସିଂହ ଧୋନୀ ସର୍ବାଧିକ ୩୯ ରନ କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ  ବୋଲର ଭାବେ ଟିମ୍ ସାଉଦି ତିନୋଟି ସଫଳତା ପାଇଛନ୍ତି। ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ସେଇଫର୍ଟ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତକୁ ଆଶା ମୁତାବକ ଆରମ୍ଭ ମିଳିପାରିନଥିଲା। ୧୮ ରନ ସ୍କୋରରେ ଅଧିନାୟକ ରୋହିତ ଶର୍ମାଙ୍କ ରୂପେ ଭାରତ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ରୋହିତ ମାତ୍ର ୧ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଶିଖର ଧାଓ୍ଵନ ଓ ତୃତୀୟରେ ବ୍ୟାଟିଂ କରିବାକୁ କ୍ରିଜକୁ ଓହ୍ଲାଇଥିବା ବିଜୟ ଶଙ୍କର ଦ୍ଵିତୀୟ ଓ୍ଵିକେଟରେ ୩୩ ରନ ଯୋଡିଥିଲେ। ମାତ୍ର ୫୧ ରନ ସ୍କୋରରେ ଶିଖର ଧାଓ୍ଵନ ୧୮ ବଲରୁ ୨ ଚୌକା ଓ ୩ ଛକା ଜରିଆରେ ୨୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ୬୪ ରନ ସ୍କୋରରେ ଋଷଭ ପନ୍ତ(୪) ଆଉଟ୍ ହୋଇଥିଲେ। ଏହାର ଏକ ରନ ପରେ ଅର୍ଥାତ ୬୫ ରନରେ ଭାରତ ଚତୁର୍ଥ ଓ୍ଵିକେଟ୍ ରୂପେ ବିଜୟ ଶଙ୍କରଙ୍କୁ ହରାଇଥିଲା। ବିଜୟ ୧୮ ବଲରୁ ଦୁଇଟି ଲେଖାଏଁ ଚୌକା ଓ ଛକା ଜରିଆରେ ୨୭ ରନ କରିଥିଲେ। ୭୨ ରନ ସ୍କୋରରେ ଦିନେଶ କାର୍ତ୍ତିକ(୫)  ଓ ୭୭ ରନରେ ହାର୍ଦ୍ଦିକ ପାଣ୍ଡ୍ୟା(୪) ପାଭିଲିୟନ ଫେରିଥିଲେ। ଶେଷ ଆଡକୁ  ଧୋନୀ ଓ କୃଣାଲ ପାଣ୍ଡ୍ୟା ପ୍ରୟାସ କରିଥିଲେ ମଧ୍ୟ ସେତେବେଳକୁ ବିଳମ୍ବ ହୋଇଯାଇଥିଲା ଏବଂ ଭାରତ ହାତରୁ ମ୍ୟାଚ୍ ଖସି ସାରିଥିଲା। ଶେଷ ଆଡକୁ ଧୋନୀ ୩୧ ବଲରୁ ୫ ଚୌକା ଓ ୧ ଛକା ଜରିଆରେ ୩୯ ରନ ଓ କୃଣାଲ ପାଣ୍ଡ୍ୟା ୨୦ ରନ କରି ଆଉଟ୍ ହୋଇଥିଲେ। ଏହି ପରି ଭାରତ ୧୯.୨ ଓଭରରେ ୧୩୯ ରନରେ ସମସ୍ତ ଓ୍ଵିକେଟ୍ ହରାଇ ୮୦ ରନରେ ପରାସ୍ତ ହୋଇଛି।

ନ୍ୟୁଜିଲାଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ଟିମ୍ ସାଉଦି ୩ଟି ଓ୍ଵିକେଟ୍ ନେଇଛନ୍ତି। ଏହି ପରି  ମିଚେଲ ସାଣ୍ଟନର ଓ ଇସ ସୋଢି ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।  ଏହା ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ଦୁଇ ଓଭର ଦେଖି ଚାହିଁ ବ୍ୟାଟିଂ  କରିବା ପରେ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲା। ଦୁଇ ଓପନର ନିର୍ଧୁମ ପ୍ରହାର କରି ୮.୨ ଓଭରରେ ୮୬ ରନ ଯୋଡିଥିଲେ। ଏହି ସ୍କୋରରେ କୋଲିନ ମୁନରୋ(୩୪)ଙ୍କୁ ଆଉଟ୍ କରି କୃଣାଲ ପାଣ୍ଡ୍ୟା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଟିମ୍ ସେଇଫର୍ଟ ଓ କେନ ଓ୍ଵିଲିୟସନ  ଦଳର ରନ ଗତିକୁ ଜାରି ରଖି ଦ୍ଵିତୀୟ ଓ୍ଵିକେଟରେ ୪୮ ରନ ଯୋଡି ସ୍କୋରକୁ ୧୩୪ରେ ପହଞ୍ଚାଇଥିଲେ। ଖାସ୍ କରି ଓପନର ଟିମ୍ ସେଇଫର୍ଟ ବିସ୍ଫୋରକ ବ୍ୟାଟିଂ କରି ବିଶାଳ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ। ସେଇଫଟ୍ ୪୩ ବଲରୁ ୭ ଚୌକା ଓ ୬ ଛକା ବଳରେ ୮୪ ରନ କରି ଦ୍ଵିତୀୟ ଖେଳାଳି ଭାବେ ଆଉଟ୍ ହୋଇଥିଲେ।

ଏହା ପରେ  ବି ଦଳର ରନ ଗତି ଦ୍ରୁତ ଗତି ଜାରି ରହିଥିଲା। ୧୬୪ ରନ ସ୍କୋରରେ ଡାର୍ଲି ମିଚେଲ ୮ ରନ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ଵିତୀୟ ଶିକାର  ହୋଇଥିଲେ। ୧୮୯ ସ୍କୋରରେ କୋଲିନ ଡି ଗ୍ରାଣ୍ଡହୋମ ୩ ରନ କରି ବିଦାୟ ନେଇଥିଲେ। କେନ ଓ୍ଵିଲିୟମସନ ୨୨  ବଲରୁ ୩ ଛକା ଜରିଆରେ ୩୪ ରନ କରି ଦଳର ସ୍କୋରକୁ ୨୦୦ ପାର କରାଇଥିଲେ। ଶେଷ ଆଡକୁ ସ୍କୋଟ କୁଗଲେଜିନ ୭ ବଲରୁ ୩ ଚୌକା ଓ ୧ ଛକା ଜରିଆରେ ୨୦ ରନ କରିବାରୁ ନ୍ୟୁଜିଲାଣ୍ଡ   ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୨୧୯ ରନ କରିଥିଲା।ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ସଫଳତା ପାଇଥିଲେ। ଏହି ପରି ଭୁବନେଶ୍ଵର କୁମାର,  ଖଲିଲ ଅହମ୍ମଦ,କୃଣାଲ ପାଣ୍ଡ୍ୟା ଓ  ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

Get real time updates directly on you device, subscribe now.

Comments
Loading...