News World Odisha
Current News Updates

ମାଓଗଡ଼ରେ ମଣିଷପଣିଆ,ମାଓବାଦୀଙ୍କୁ ରକ୍ତ ଦେଲେ ଯବାନ୍

0 521

Get real time updates directly on you device, subscribe now.

ଯେଉଁମାନେ ମୃତ୍ୟୁ ଦୂତ ସାଜି ଆସିଥିଲେ ସେମାନଙ୍କୁ ମିଳିଛି ଜୀବନ । ଏହା ପ୍ରମାଣିତ କରି ଦେଖାଇଛନ୍ତି ଝାଡଖଣ୍ଡର ୧୩୩ ନମ୍ବର ବାଟାଲିୟନର ସିଆରପିଏଫ ଯବାନ୍ । ଏହି ଘଟଣାକୁ ଯଦି ମାଓବାଦୀମାନେ ଦେଖି ଟିକିଏ ବି ଅନୁଭବ କରିବେ ତେବେ ତାଙ୍କ  ମୁହଁ ଲଜ୍ଜାରେ ପୋତି ହୋଇଯିବ ।

ଝାଡଖଣ୍ଡ,ଓଡିଶା ଓ ପଶ୍ଚିମବଙ୍ଗ ତିନୋଟି ରାଜ୍ୟର ସୀମାନ୍ତ ଅଞ୍ଚଳ ହେଉଛି ମାଓବାଦୀଙ୍କ ଲାଲଗଡ । ଗତ ଜାନୁଆରୀ ୨୯ ତାରିଖରେ ଝାଡ଼ଖଣ୍ଡ ରାଜ୍ୟ ଖୁଣ୍ଟି ଜିଲ୍ଲା ମୁରହୁ ଜଙ୍ଗଲରେ ସିଆରପିଏଫ,କୋବ୍ରା ଓ ଜିଲ୍ଲା  ପୋଲିସ ମାଓ ଦମନ ପାଇଁ ମିଳିତ ଭାବେ କମ୍ବିଂ ଅପରେସନ ଜାରି ରଖିଥିବା ବେଳେ ହଠାତ୍ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ।ଏହାର ଜବାବରେ ଯବାନମାନେ ବି ଫାୟାରିଂ କରିଥିଲେ। ଯବାନଙ୍କ ଆକ୍ରମଣକୁ ପ୍ରତିହତ କରି ନ ପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଗୁଳି ବିନିମୟ ପରେ ଯବାନମାନେ ସ୍ଥାନୀୟ ଅଞ୍ଚଳରେ ତଲାସି କରିବା ସମୟରେ ୫ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଲହୁଲୁହାଣ ଅବସ୍ଥାରେ ୨ ଜଣ ମାଓବାଦୀଙ୍କୁ ଠାବ କରିଥିଲେ  । ଯବାନମାନେ ଚାହିଁଥିଲେ ସେହିଠାରେ ହିଁ ଦୁଇ ଜଣ ଆହତ ମାଓବାଦୀଙ୍କୁ ହତ୍ୟା କରିଥାନ୍ତେ,କିନ୍ତୁ ଏହା ନ କରି ଯବାନମାନେ ଗୁରୁତର ଦୁଇ ମାଓବାଦୀଙ୍କୁ ଖୁଣ୍ଟିସ୍ଥିତ ରିମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଇ ମହାନତାର ପରିଚୟ ଦେଇଛନ୍ତି  । ଦୁଇ ମାଓବାଦୀଙ୍କ ଭିତରୁ ସୋମୁ ପୂର୍ତ୍ତି ନାମକ ମାଓବାଦୀର ଚିକିତ୍ସା ପାଇଁ ‘ବି’ ପଜିଟିଭ ରକ୍ତର ଆବଶ୍ୟକ ଥିଲା । ଏ ଖବର ରାଞ୍ଚିସ୍ଥିତ ସିଆରପିଏଫ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଥିବାବେଳେ ସିଆରପିଏଫ ମହାନିରୀକ୍ଷକ ସଂଜୟ ଆନନ୍ଦ ତୁରନ୍ତ ଖୁଣ୍ଟିରେ ଥିବା ୧୩୩ ନମ୍ବର ବାଟାଲିୟନ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଯବାନ ରାଜକମଲ ରିମ୍ସ ମେଡିକାଲ ଯାଇ ରକ୍ତଦାନ କରିଥିଲେ ।ଏହି ରକ୍ତଦାନ ଦ୍ବାରା ଗୁରୁତର ମାଓବାଦୀ ସୋମୁ ଦ୍ବିତୀୟ ଜୀବନ ପାଇଛି।ଏହି ଘଟଣା ଯଦି ମାଓବାଦୀଙ୍କ ପାଖରେ ପହଞ୍ଚେ ଏବଂ ସେମାନଙ୍କ ହୃଦୟରେ ମାନବ ସମାଜ ପ୍ରତି ଟିକିଏ ବି ଦୟା ଉଦ୍ରେକ ହୁଏ,ତେବେ ଏହି ଲାଲ ରକ୍ତପାତରେ ଯବନିକା ପଡିବ ।

Get real time updates directly on you device, subscribe now.

Comments
Loading...