News World Odisha
Current News Updates

ଜୀବନ ଜଳୁଛି ଯୋଗୀ ଜାଗାରେ: ୧୭ ପରେ ୧୯ ଅଶୁଭ !

0 658

Get real time updates directly on you device, subscribe now.

ଯୋଗୀ ସରକାରକୁ ଶନି ଦଶା । ୨ ବର୍ଷ ପରେ ମେଡିକାଲରୁ ବାହାରି ମଦରେ ଲୁଚିଛି ଯମ  । ୧୭ର ଶନି ଏବେ ୧୯ରେ ଘାଣ୍ଟୁଛି । ଗୋରଖପୁର ପରେ ଏବେ ଶହାରଣପୁର ଓ କାଶୀନଗରରେ ତାଣ୍ଡବ ରଚୁଛି ମୃତ୍ୟୁ  । ସେତେବେଳେ ଅମ୍ଳଜାନ ପାଇଁ ୬୦ କଅଁଳ କଢ଼ି ଝରିପଡ଼ିଥିଲେ ଆଉ ଏବେ ମଦ ପାଇଁ ୭୮ ଜଣଙ୍କ ଜୀବନ ଗଲାଣି  । ଦୁଇଟି ଘଟଣାକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି କି ଉତ୍ତରପ୍ରଦେଶ ଏବେ ମୃତ୍ୟୁପ୍ରଦେଶ ପାଲଟିଛି  ।

ବିଷାକ୍ତ ମଦ ଯୋଗୁଁ ୟୁପି, ଉତ୍ତରାଖଣ୍ଡରେ ମୃତ୍ୟୁ ସଂଖ୍ୟା ଶହେ ଟପି ଥିବାବେଳେ ଶତାଧିକ ଲୋକଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ ଅଛି  । ତେବେ କେବଳ ଉତ୍ତର ପ୍ରଦେଶରେ ୭୮ ଜଣଙ୍କ ମୃତ୍ୟୁ ହେଲାଣି  । ସେଥିମଧ୍ୟରୁ ଶହାରଣପୁରରେ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କୁଶୀନଗରରେ ଯାଇଛି ୧୪ ଜଣଙ୍କ ଜୀବନ  । ଉତ୍ତରପ୍ରଦେଶରେ ବିଷାକ୍ତ ମଦ କାରବାରରେ ରୋକ ଲାଗୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି  ।

ସେପଟେ ଖାଲି ମଦ ନୁହେଁ ୨ ବର୍ଷ ତଳେ ଅକ୍ସିଜେନ ଟ୍ରାଜେଡି ପାଇଁ ବିବାଦ ଘେରରେ ଧନ୍ଦି ହୋଇଥିଲେ ଯୋଗୀ ସରକାର  । ୨୦୧୭ ଅଗଷ୍ଟ ମାସରେ ଗୋରଖପୁର ମେଡିକାଲ ଟ୍ରାଜେଡି ହୋଇଥିଲା  । ବାବା ରାଘବ ଦାସ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଅମ୍ଳଜାନ ଅଭାବରୁ ଅକାଳରେ ୬୦ ଶିଶୁଙ୍କ ମୃତ୍ୟୁ ହୋଇଥିଲା  । ଅମ୍ଳଜାନ ଯୋଗାଣରେ ଅନିୟମିତତା ଯୋଗୁଁ ଶିଶୁମାନେ ଡହଳ ବିକଳ ହୋଇଥିଲେ ଆଉ ଶେଷରେ ଜଣେ ପରେ ଜଣେ ମୃତ୍ୟୁବରଣ କରିଥିଲେ  । ତେବେ ଅମ୍ଳଜାନ ଯୋଗାଉଥିବା ପୁଷ୍ପା ସେଲର ପ୍ରାୟ ୬୯ ଲକ୍ଷ ଟଙ୍କା ବାକି ଥିବାରୁ ଉକ୍ତ ଯୋଗାଣ ସଂସ୍ଥା ଆଉ ମେଡିକାଲକୁ ଅମ୍ଳଜାନ ଯୋଗାଇ ନଥିଲା  । ଫଳରେ ଗୋଟିଏ ସପ୍ତାହରେ ଜଣେ ଜଣେ କରି ପ୍ରାୟ ୬୦ ଅଧିକ ଶିଶୁଙ୍କ ଜୀବନ ଯାଇଥିଲା  ।

ଯୋଗୀ ଆଦିତ୍ୟନାଥ, ୟୁପି ମୁଖ୍ୟମନ୍ତ୍ରୀ

୨୦୧୭ରେ ଅମ୍ଳଜାନ ଅଡ଼ୁଆ ଆଉ ଏବେ ବିଷାକ୍ତ ମଦ ଯୋଗୀ ରଥରେ ବିବାଦର ବାନା ଲଗାଇଛି  । ତେବେ ଆଗାମୀ ନିର୍ବାଚନରେ ଯୋଗୀ ସରକାରକୁ ଏହି ପ୍ରସଙ୍ଗ ପଛରେ ପକାଇ ଦେବ ବୋଲି ଅନୁମାନ କରି ହେଉଛି  ।

Get real time updates directly on you device, subscribe now.

Comments
Loading...