News World Odisha
Current News Updates

BSNLକୁ ବନ୍ଦ କରିପାରନ୍ତି ସରକାର !

0 502

Get real time updates directly on you device, subscribe now.

କେନ୍ଦ୍ର ସରକାର କ୍ରମାଗତ କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌କୁ ବିକ୍ରି କରିଦେବା ଲାଗି ବିଚାର କରୁଛନ୍ତି। କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର ବ୍ୟତୀତ ଏହାକୁ ବନ୍ଦ କରିଦେବା ନେଇ ବିକଳ୍ପ ଚିନ୍ତା କରିବାକୁ ସରକାରଙ୍କ ପକ୍ଷରୁ କମ୍ପାନୀର ଶୀର୍ଷ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

 ଆର୍ଥିକ ବର୍ଷ ୨୦୧୭-୧୮ ଶେଷ ସୁଦ୍ଧା କମ୍ପାନୀର କ୍ଷତିର ପରିମାଣ ୩୧,୨୮୭ କୋଟି ଟଙ୍କାରେ ପହଞ୍ଚିବା ପରେ ଶୀର୍ଷ ଅଧିକାରୀମାନେ କେନ୍ଦ୍ର ଟେଲିକମ୍‌ ସଚିବ ଅରୁଣା ସୁନ୍ଦରରାଜନଙ୍କୁ ଭେଟିଥିଲେ। ଏହି ଆଲୋଚନା ସମୟରେ ସଚିବଙ୍କ ପକ୍ଷରୁ ସ୍ପଷ୍ଟ ବାଣୀ ଶୁଣାଇ ଦିଆଯାଇଛି। ଏହି ଆଲୋଚନା ସମୟରେ ବିଏସ୍‌ଏନ୍‌ଏଲ୍‌ ଅଧ୍ୟକ୍ଷ ଅନୁପମ ଶ୍ରୀବାସ୍ତବ ଏକ ପ୍ରେଜେଣ୍ଟେସନ ଦେଇଥିଲେ। ଯେଉଁଥିରେ କମ୍ପାନୀର ଆର୍ଥିକ ସ୍ଥିତି, ଏହାର ମୋଟ କ୍ଷତିର ପରିମାଣ, ରିଲାଏନ୍ସ ଜିଓ ଆସିବା ପରେ ଏହାର କାରବାର ଉପରେ ପଡିଥିବା ପ୍ରଭାବ, କର୍ମଚାରୀଙ୍କ ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌) ଏବଂ ସମୟ ପୂର୍ବରୁ ଅବସର ଯୋଜନା ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଥିଲା।

ଗୋଟିଏ ପଟେ ସରକାର କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରିବା ନେଇ ବିଚାର କରିବାକୁ କହୁଛନ୍ତି, ଅନ୍ୟପକ୍ଷରେ ଏହାକୁ ବନ୍ଦ କରିବା ନେଇ ମଧ୍ୟ ବିଶ୍ଲେଷଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଭିଆର୍‌ଏସ୍‌ ପାଇଁ କମ୍ପାନୀ ୫୬ରୁ ୬୦ ବର୍ଷର କର୍ମଚାରୀଙ୍କୁ ଟାର୍ଗେଟ କରିବ। ଏହାଦ୍ୱାରା କମ୍ପାନୀର ୬୭ ହଜାର କର୍ମଚାରୀ ସମୟ ପୂର୍ବରୁ ବିଦା ହୋଇଯିବେ। ଏହାଦ୍ୱାରା କମ୍ପାନୀର ପ୍ରାୟ ୩ ହଜାର କୋଟି ଟଙ୍କା ସଞ୍ଚୟ ହେବ। ଅନ୍ୟପକ୍ଷରେ କମ୍ପାନୀ ପକ୍ଷରୁ ପ୍ରାୟ ୧୫ ହଜାର କୋଟି ଟଙ୍କାର ଖାଲି ପଡ଼ିଥିବା ଜମି ଓ ବିଲ୍ଡିଂରୁ ଆୟ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଏହି କାର୍ଯ୍ୟକୁ ଡିପାର୍ଟମେଣ୍ଟ ଅଫ୍‌ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ୍‌ ମ୍ୟାନେଜମେଣ୍ଟ ଆସନ୍ତା ୨ରୁ ୩ ବର୍ଷ ଭିତରେ ସାରିବାକୁ କୁହାଯାଇଛି।

Get real time updates directly on you device, subscribe now.

Comments
Loading...