News World Odisha
Current News Updates

ଭାରି ବସ୍ତାନୀ ବୋହିବେନି ପିଲା : ଏପ୍ରିଲ ଲାଗୁ ହେବ ନିୟମ

0 534

Get real time updates directly on you device, subscribe now.

ଏଣିକି ଛାତ୍ରଛାତ୍ରୀ ସ୍କୁଲ ବ୍ୟାଗ୍ ବୋଝରୁ ମୁକ୍ତି ପାଇବେ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବାରମ୍ବାର ଚିଠି, ତାଗିଦ୍ ପରେ ରାଜ୍ୟ ସରକାର ଚେତିଛନ୍ତି । ୨୦୧୯-୨୦ ଶିକ୍ଷାବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ଓଜନ କେତେ ରହିବ ତାହା ଗାଇଡଲାଇନରେ ସୂଚିତ ରହିଛି ।

ସ୍କୁଲ ବ୍ୟାଗ୍‌ରେ ଅତ୍ୟଧିକ ବୋଝ ଯୋଗୁ ପିଲାମାନେ ବିଭିନ୍ନ ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ପିଲାଙ୍କ କାନ୍ଧରୁ ବସ୍ତାନି ବୋଝ କମାଇବାକୁ ରାଜ୍ୟ ସରକାର ନୂଆ ଶିକ୍ଷାବର୍ଷରୁ ନୂଆ ଗାଇଡ୍‌ଲାଇନ ଲାଗୁ କରିବାକୁ ଯାଉଛନ୍ତି ।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ଦେଢ଼ କିଲୋରୁ ଅଧିକ ହେବ ନାହିଁ। ସେମାନଙ୍କ ଲାଗି ମାତ୍ର ଦୁଇଟି ବିଷୟ ମାତୃଭାଷା ଓ ଗଣିତ ରଖିବାକୁ କୁହାଯାଇଛି। ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୨ରୁ ୩ କିଲୋ ମଧ୍ୟରେ ରହିବ। ଏମାନଙ୍କ ଲାଗି ଗଣିତ, ପରିବେଶ ବିଜ୍ଞାନ, ଇଂଲିଶ ଓ ମାତୃଭାଷା ଏହିଭଳି ୪ଟି ବିଷୟ ରହିବ। ସେହିଭଳି ଷଷ୍ଠ ଓ ସପ୍ତମ ପିଲାଙ୍କ ବ୍ୟାଗ୍‌ ୪ କିଲୋ, ୮ମ ଓ ୯ମ ପିଲାଙ୍କ ବ୍ୟାଗ୍‌ ସାଢ଼େ ୪ କିଲୋ ଏବଂ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୫ କିଲୋରୁ ଅଧିକ ହେବ ନାହିଁ। ଏହାସହ ପିଲାଙ୍କୁ ହୋମ୍‌ଓ୍ବାର୍କ ଦିଆଯିବା ଉପରେ ମଧ୍ୟ କଟକଣା ଲଗାଯାଇଛି। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ଆଦୌ ହୋମ୍‌ଓ୍ବାର୍କ ଦିଆଯିବ ନାହିଁ। ଅନ୍ୟ ଶ୍ରେଣୀ ଲାଗି କୌଣସି ବିଷୟ ଶେଷରେ ଦିଆଯାଇଥିବା ଏକ୍ସରସାଇଜ୍‌କୁ କ୍ଲାସ୍‌ ରୁମ୍‌ରେ ଶିକ୍ଷକଙ୍କ ଆଗରେ ସମାଧାନ କରାଯିବ। ଏଥିଲାଗି ସ୍ବତନ୍ତ୍ର ପିରିୟଡ୍‌ ରଖାଯିବ। ପିଲାମାନେ ଯେପରି ନିଜେ ବୁଦ୍ଧି ଖଟାଇ ପ୍ରଶ୍ନର ସମାଧାନ କରିବେ, ସେଥିଲାଗି ସେମାନଙ୍କୁ ଉତ୍ସାହିତ କରାଯିବ। ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ହୋମ୍‌ଓ୍ବାର୍କକୁ ନେଇ ସ୍କୁଲଗୁଡ଼ିକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବେ। କେବଳ ବିଷୟ ଘୋଷା ନ କରି ପିଲାଙ୍କ ମେଧାର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଖେଳକୁଦ ସହ ପ୍ରୋଜେକ୍ଟ, ବିଭିନ୍ନ ସ୍ଥାନ ଭ୍ରମଣ, ବୁକ୍‌ ରିଭ୍ୟୁ, ସାମ୍ପ୍ରତିକ ବିଷୟରେ ବିତର୍କ ଲାଗି ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରାଯିବ। ଗାଇଡ୍‌ ଓ ଅନ୍ୟାନ୍ୟ ବହି ବ୍ୟବହାରକୁ ନିଷେଧ କରାଯାଇଛି। ସ୍କୁଲଗୁଡ଼ିକ ଷ୍ଟେଟ୍‌ କାଉନ୍‌ସିଲ ଅଫ୍‌ ଏଜୁକେଶନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(NCERT) ଦ୍ୱାରା ଅନୁମୋଦିତ ବହି ହିଁ ବ୍ୟବହାର କରିବେ। ନୂତନ ଗାଇଡ୍‌ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସ୍କୁଲଗୁଡ଼ିକୁ କୁହାଯାଇଛି।

ଏଥିସହ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା, ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ଯାଞ୍ଚ, ଛାତ୍ରଛାତ୍ରୀ ବ୍ୟାଗ୍ ପକାଇବା ସମୟରେ ଯେପରି ଦୁଇ କାନ୍ଧକୁ ବ୍ୟବହାର କରିବେ ସେଥିପ୍ରତି ସ୍କୁଲ ଦୃଷ୍ଟି ଦେବାକୁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

Get real time updates directly on you device, subscribe now.

Comments
Loading...