News World Odisha
Current News Updates

ସାମ୍ନାସାମ୍ନି ହେଲେ କ’ଣ ସମ୍ବୋଧନ କରିବେ ଲେଖାଶ୍ରୀ ?

0 12,536

Get real time updates directly on you device, subscribe now.

୨୫ ଅକ୍ଟୋବର ୨୦୧୭  । ଓଡ଼ିଶା ରାଜନୀତିରେ ଲାଗିଥିଲା ନିଆଁ  । ବରିଷ୍ଠ ନେତା ଦାମ ରାଉତଙ୍କ ବେଲଗାମ ତୁଣ୍ଡ ପାଇଁ ରାଜ୍ୟ ରାଜନୀତିରେ ହୁତହୁତ ନିଆଁ ଜଳିଥିଲା  । ଯାଜପୁର ବିଞ୍ଝାରପୁରର ଏକ ସଭାରେ ଦାମ ଦେଇଥିବା ଅଙ୍ଗନୱାଡ଼ି ମନ୍ତବ୍ୟ ପାଇଁ ପଡ଼ିଥିଲା ଉଠିଥିଲା ରାଜ୍ୟ ରାଜନୀତି  । ବିଞ୍ଝାରପୁର ମଞ୍ଚରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆକ୍ଷେପ କରି ଦାମ ଦେଇଥିଲେ ଅଙ୍ଗନୱାଡ଼ି ମନ୍ତବ୍ୟ  । ଦାମଙ୍କ ଏହି ଆକ୍ଷେପପୂର୍ଣ୍ଣ ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜୋର ଧରିଥିଲା ରାଜନୀତି  ।

ବିଞ୍ଝାରପୁର ମଞ୍ଚରେ ଦାମ ଭାଷଣ ଦେବାର ଫଟୋ (୨୫/୧୦/୨୦୧୭)

ତେବେ ଅଙ୍ଗନୱାଡ଼ି କର୍ମୀଙ୍କ ହକ ପାଇଁ ଧାରଣା ଦେବା ବେଳେ ଲେଖାଶ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ କହିବା ସହ ଦାମଙ୍କୁ ଶିଖଣ୍ଡୀର ଆଖ୍ୟା ଦେଇଥିଲେ  । ଆଉ ତାପରେ ଦାମ ବିଞ୍ଝାରପୁର ସଭାରେ ଲେଖାଶ୍ରୀଙ୍କୁ ମାରିଥିଲେ ଆକ୍ଷେପ ବାଣ  ।

ମଞ୍ଚରେ କଣ କହିଥିଲେ ଦାମ…

ବିଞ୍ଝାରପୁର ମଞ୍ଚରେ ବିଜେପି ନେତ୍ରୀଙ୍କୁ ଟାର୍ଗେଟ କରି ଦାମ କହିଥିଲେ; ‘ମତେ ଗୋଟେ ବିଜେପି ନେତ୍ରୀ, ସ୍ବାମୀ ଛାଡ଼ି ଅଙ୍ଗନବାଡ଼ି…କହିଲା କଣ ନା ନବୀନ ଧ୍ରୁତରାଷ୍ଟ୍ର ଆଉ ଦାମ ରାଉତ ଶିଖଣ୍ଡୀ…’  । ଦାମଙ୍କ ଏଇ କେଇ ପଦ କଥା ପରେ ହୋହଲ୍ଲା, ହଙ୍ଗାମା କରିଥିଲା ବିଜେପି  । ଦାମଙ୍କ ବହିଷ୍କାର ଦାବି କରି ଧାରଣା ଦେଇଥିଲା ବିଜେପି  ।

ଦିଲ୍ଲୀରୁ ଫେରିବା ବିଜେପି ପାର୍ଟି ଅଫିସରେ ଦାମ

ହେଲେ ଏବେ ପରିସ୍ଥିତି ବଦଳିଯାଇଛି  । ୨୦୧୭ର ଦାମଙ୍କ ବୟାନକୁ ୧୭ ମାସ ପରେ ଭୁଲିଯାଇଛି ବିଜେପି, ଆଉ ସବୁ ରାଗ, ରୁଷାକୁ ଭୁଲି ତାଙ୍କୁ କୋଳେଇ ନେଇଛି ବିଜେପି । କୁହାଯାଏ ରାଜନୀତିରେ ସବୁ ସମ୍ଭବ  । ରକ୍ତ ସମ୍ପର୍କରେ ବି ରାଜନୀତି ପସିଗଲେ ଫାଟ ସୃଷ୍ଟି ହୁଏ ଆଉ ଅହିନକୁଳ ସମ୍ପର୍କ ଥିବା ଲୋକଙ୍କ ମଧ୍ୟରେ ବି ଏ ରାଜନୀତି ସମ୍ପର୍କ ଯୋଡ଼ିଦିଏ  । ରାଜନୀତିରେ ଘଡ଼ିକୁ ଘୋଡ଼ା ଛୁଟେ  । ଦଳବଦଳ କରି ବିଭିନ୍ନ ନେତା ବିଭିନ୍ନ ଦଳକୁ ଯାଆନ୍ତି  । ହେଲେ ଦାମଙ୍କ କଥା ଟିକେ ନିଆରା  । ଦାମ ବିଜେପି ଯିବା ପୂର୍ବରୁ ଅଙ୍ଗନୱାଡ଼ି ମନ୍ତବ୍ୟ ସହ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମାଲୋଚନା କରି ଆସୁଥିଲେ  । ବିଭିନ୍ନ କଥାରେ ଚର୍ଚ୍ଚାର ପରିସରରେ ରହୁଥିବା ଦାମ ସମାଲୋଚନା ଠାରୁ ଲେଖାଶ୍ରୀଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ  ।

ଦାମ ବାବୁ ଆଉ ସେମିତି କହିବେନି-ଲେଖାଶ୍ରୀ

ତେବେ ବର୍ତ୍ତମାନ ଦାମ ରାଉତ ବିଜେପିରେ ମିଶିବା ପରେ ଆଉ ଦଳୀୟ କାର୍ଯ୍ୟାଳୟକୁ ଆସିଲା ପରେ ଲେଖାଶ୍ରୀଙ୍କୁ କେମିତି ସାମ୍ନା କରିବେ  । ସେପଟେ ଲେଖାଶ୍ରୀ ମଧ୍ୟ ଶିଖଣ୍ଡୀ କହି ଦାମଙ୍କୁ ଯେଉଁ ଅପମାନ କରିଥିଲେ, ସେ ବି କେମିତି ଦାମଙ୍କୁ ସାମ୍ନା କରିବେ ଆଉ କଣ କହି ଦାମ ବାବୁଙ୍କୁ ଡାକିବେ ବୋଲି ବିରୋଧୀଙ୍କ ମହଲରେ ଚର୍ଚ୍ଚା ହେଉଛି  । ବିରୋଧୀଙ୍କ କଥାକୁ କାଟିବାକୁ ଆଜି ଲେଖାଶ୍ରୀ କଥା ବାଆଁରେଇ ଦେଇଛନ୍ତି  । ଦାମ ବାବୁଙ୍କୁ ଆମେ ସ୍ବାଗତ କରୁଛୁ, ସେତେବେଳେ ମୁଁ ତାଙ୍କୁ କ୍ଷମା କରିଦେଇଥିଲି  । ଆଉ ସେ ସେମିତି କହିବେନି ବୋଲି ଲେଖାଶ୍ରୀ କହିଛନ୍ତି  । ତେବେ ବିଜେପିକୁ ଗଲା ପରେ ଦାମ ସତରେ କଣ ଲେଖାଙ୍କ କଥା ମାନି ଚଳିବେ ବୋଲି ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମଧ୍ୟରେ ଗୁଞ୍ଜରଣ ହେଉଛି  ।

Get real time updates directly on you device, subscribe now.

Comments
Loading...