News World Odisha
Current News Updates

ସରଗରେ ଉଡ଼ୁଥିବା ଦେଖିଥିଲେ ଆଜି ସତରେ ଉଡ଼ିଲେ ପରୀ ମାଆ…ସ୍ୱପ୍ନ ସତ କଲେ ସୁପ୍ରିମୋ

0 494

Get real time updates directly on you device, subscribe now.

ଆସ୍କା ଆକାଶରେ ଉଡ଼ିଲେ ପରୀ ମାଆ  । ମଝି ଆକାଶରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ନିଜ ଅଞ୍ଚଳକୁ ଆଖି ଭରି ଦେଖିଲେ ମିଶନ ଶକ୍ତିର ମାଆ  । ଦିନେ ଯିଏ ଆକାଶରେ ଉଡ଼ୁଥିବା ଉଡ଼ାଜାହାଜକୁ ଦେଖି ଆଖି ଉପରକୁ କରୁଥିଲା…ଆଜି ସେ ନିଜେ ସେଇ ଆକାଶରେ ଉଡ଼ି ଆଖି ତଳକୁ କରି ନିଜ ଅଞ୍ଚଳ ଦେଖୁଛି । ଆକାଶକୁ ସ୍ୱର୍ଗ କହୁଥିବା ସାଧାରଣ ମଣିଷର ଅଦେଖା ସ୍ୱପ୍ନ ଦିନେ ସତ ହେବ ତାହା ସେ ଭାବି ନଥିଲା କି ସେ ଦେଖିନଥିବା ସ୍ୱପ୍ନକୁ ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀ ସତ କରିବେ ତାହା ବି ଭାବିନଥିଲା  । ଆଜି ସ୍ୱପ୍ନ ଭଳି ଲାଗୁଥିବା ସତକୁ ଆଖି ବୁଜି ଭାବିଲା ବେଳକୁ ତା ଛାତି କୁଣ୍ଢେମୋଟ ହେଇଯାଉଥିବ ନିଶ୍ଚୟ  ।

ଆଜ୍ଞା ହଁ, ଆଜି ମୁଖ୍ୟମନ୍ତ୍ରୀଙ୍କ ଆସ୍କା ପ୍ରଚାର ବେଳେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ ଯାହା ସତଠୁ ବି ଅଧିକ ସତ  । ଆସ୍କା ନିର୍ବାଚନୀ ପ୍ରଚାର ସଭାରେ ଯୋଗ ଦେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସ୍କା ଲୋକସଭା ପ୍ରାର୍ଥୀ ପ୍ରମିଳା ବିଶୋୟୀଙ୍କୁ ବୁଲାଇ ନେଇଥିଲେ  । ନିଜ ହେଲିକପ୍ଟରରେ ନବୀନ ପ୍ରମିଳାଙ୍କୁ ନିଜ ପାଖ ସିଟରେ ବସାଇ ସାରା ଆକାଶ ବୁଲାଇଥିଲେ  । ମଝି ଆକାଶରେ ମୁଖ୍ୟମନ୍ତ୍ରୀ ଓ ମିଶନ ଶକ୍ତି ମାଆ ସହ ବାର୍ତ୍ତାଳାପ କରୁଥିଲେ  । ପରୀ ମାଆ ନିଜର ମନର କଥାକୁ ଅତି ଆତ୍ମୀୟତାର ସହ ସୁପ୍ରିମୋଙ୍କୁ କହୁଥିବାର କେତେଟା ଫଟୋ ସୋସିଆଲ ମିଡିଆକୁ ଆସିଛି । ବେକରେ ଦଳୀୟ ଉତ୍ତରୀୟ ପକାଇ ପ୍ରମିଳା ନବୀନଙ୍କୁ ଖୁଲମଖୁଲା କଥା କହୁଛନ୍ତି ଆଉ ନବୀନ ବି ପରୀ ମାଆର ନିର୍ଭେଜାଲ, ନିର୍ମାୟା କଥା ଶୁଣି ଖୁସି ହେଉଛନ୍ତି  । ଯାହାର ଫଟୋ ଏବେ ସବୁଠି ଚର୍ଚ୍ଚା ପାଲଟିଛି  । ନବୀନ ପ୍ରମିଳାଙ୍କ ସ୍ୱପ୍ନ ପୂରା କରିଛନ୍ତି ବୋଲି ଏବେ ସବୁଠି ଚର୍ଚ୍ଚା ହେଉଛି  । ନିଜ ନିଷ୍ଠାପର କାର୍ଯ୍ୟ ପାଇଁ ତୃଣମୂଳସ୍ତରର ନେତା ସାଜିଥିବା ପ୍ରମିଳା ବିଶୋୟୀଙ୍କ ସହିତ ଏକାଠି ଯାତ୍ରା କରି ନବୀନ ବହୁତ ଖୁସି ଥିବା ତାଙ୍କ ଟ୍ୱିଟର ପେଜରେ ଲେଖିଛନ୍ତି । ପ୍ରମିଳା ମିଶନ ଶକ୍ତି ନାରୀଙ୍କ ପ୍ରତୀକ । ମୁଁ ମୋ ରାଜନୀତି ଜୀବନ ଆରମ୍ଭ କରିଥିବା ଆସ୍କାରୁ ତାଙ୍କୁ ଲୋକସଭାରେ ଦେଖିବା ନେଇ ଉତ୍ସାହିତ । ଏହା ହିଁ ହେବ ଲକ୍ଷ ଲକ୍ଷ ସଶକ୍ତ ମହିଳାଙ୍କ ପାଇଁ ବାସ୍ତବ ସମ୍ମାନ ବୋଲି ନବୀନ ଲେଖିଛନ୍ତି  ।

ତେବେ ଆକାଶକୁ ସ୍ୱର୍ଗ କହି, ସ୍ୱର୍ଗରେ ଉଡ଼ାଜାହାଜ ଉଡ଼ୁଥିବା ଦୃଶ୍ୟ ସେ ପିଲାବେଳୁ ଅନେକ ଥର ଦେଖିଥିବା ପ୍ରମିଳା କହିଥିଲେ । କେବେକେବେ ନବୀନ ମିଶନ ଶକ୍ତିର କାର୍ଯ୍ୟକ୍ରମରେ ଯୋଗ ଦେଲା ବେଳେ ସେ ଉଡ଼ାଜାହାଜକୁ ପାଖରୁ ଦେଖିଛନ୍ତି  । ହେଲେ କେବେ ବସି ନାହାନ୍ତି କି ବସିବାର ସ୍ୱପ୍ନ ବି ଦେଖି ନାହାନ୍ତି ବୋଲି ଅତି ସାଧାରଣ ଭାବେ ଫେସ ଟୁ ଫେସ କାର୍ଯ୍ୟକ୍ରମରେ କହିଥିଲେ ପ୍ରମିଳା  । ନ୍ୟୁଜ ୱାର୍ଲଡର ଇନପୁଟ୍ ଏଡିଟର ରଙ୍ଗାଧର ପଣ୍ଡାଙ୍କ ସାଧାରଣ ପ୍ରଶ୍ନରେ ଅତି ଚମତ୍କାର ଉତ୍ତର ଦେଇଥିଲେ ପ୍ରମିଳା  । କେବେ ଏରୋପ୍ଲେନକୁ ଖାଲି ଆଖିରେ ଦେଖିଛନ୍ତି କି ନାହିଁ…? ପ୍ରଶ୍ନରେ ଏମିତି ଉତ୍ତର ଦେଇଥିଲେ ପ୍ରମିଳା । ଶୁଣନ୍ତୁ ସେ ଉତ୍ତର…

ତେବେ ସେଦିନ ପ୍ରମିଳାଙ୍କ ସେ ଉତ୍ତର ସାରା ଓଡ଼ିଶାରେ ଏକ ଟ୍ରେଣ୍ଡ ପାଲଟିଥିଲା  । ଆଉ ଆଜି ସେ ଉତ୍ତରକୁ ଉପରକୁ ନେଇ ସତ କରିଛନ୍ତି ସୁପ୍ରିମୋ  ।

Get real time updates directly on you device, subscribe now.

Comments
Loading...