News World Odisha
Current News Updates

ତାଣ୍ଡବ କରିବେ ‘ତାରାସୁର’, ନଚାଇବେ ‘ନାରାୟଣ’…!

0 360

Get real time updates directly on you device, subscribe now.

କମ୍ପିବ ବିଧାନସଭା, ଗରମ ହେବ ଗୃହ । ବିରୋଧୀଙ୍କ ହୋହଲ୍ଲା, ନାରାବାଜିରେ ହୁଲସ୍ତୁଲ ହେବ ବିଧାନସଭା । ବାରମ୍ବାର ମୁଲତବୀ, ବିରୋଧୀଙ୍କ ଗର୍ଜନ ସହ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବେ ବିରୋଧୀ  । ନୂଆ ସରକାର ଗଠନ ହେବା ପରେ ବସିବାକୁ ଥିବା ପ୍ରଥମ ଅଧିବେଶନରେ ଦେଖିବାକୁ ମିଳିପାରେ ଏଭଳି କିଛି ଚିତ୍ର  । ଗତଥର ଅପେକ୍ଷା ଏଥର ଗୃହରେ ଅଧିକ ସରଗରମ ହୋଇପାରେ । ସରକାରଙ୍କ ଟିକେ ଟିକେ ଭୁଲକୁ ପ୍ରସଙ୍ଗ କରି ଅଡ଼ି ବସିପାରନ୍ତି ବିରୋଧୀ  । କାରଣ ୧୪ ଅପେକ୍ଷା ୧୯ରେ ବିଧାନସଭାକୁ ଆସୁଛନ୍ତି ଅନେକ ଟାଣୁଆ ବିରୋଧୀ ନେତା  । ଉଭୟ ବିଜେପି-କଂଗ୍ରେସର ଚର୍ଚ୍ଚିତ ନେତା ଏଥର ନିର୍ବାଚିତ ହୋଇ ପୁଣି ବିଧାନସଭାକୁ ବ୍ୟାକ କରୁଛନ୍ତି  ।

ଇତିମଧ୍ୟରେ ବିଧାୟକମାନେ ବିଧାନସଭାରେ ଶପଥ ନେଇସାରିଲେଣି  । କାମଚଳା ବାଚସ୍ପତିରେ ଶପଥ ସରି ବାଚସ୍ପତି ବି ନିର୍ବାଚିତ କରାସରିଲାଣି, ଏବେ ଖାଲି ଅଧିବେଶନକୁ ଅପେକ୍ଷା  । ତେବେ ୨୦୧୪ରେ ବିଜେପି ଅପେକ୍ଷା କଂଗ୍ରେସର ବିଧାୟକ ସଂଖ୍ୟା ଅଧିକ ଥିଲା  । ବିଜେପିର ୧୦ ଜଣ ବିଧାୟକ ବିଧାନସଭା ଆସିଥିବା ବେଳେ କଂଗ୍ରେସର ୧୬ ବିଧାୟକ ବିଧାନସଭାକୁ ନିର୍ବାଚିତ ହୋଇଥିଲେ  । ବିଜେପି ଠାରୁ କଂଗ୍ରେସ ପାଖରେ ଅଧିକ ସଂଖ୍ୟା ଥିବାରୁ ବିରୋଧୀ ଦଳ ହୋଇଥିଲା କଂଗ୍ରେସ ଆଉ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ହୋଇଥିଲେ ବିରୋଧୀ ଦଳ ନେତା  । ହେଲେ ୧୯ରେ ଚିତ୍ର ସମ୍ପୂର୍ଣ୍ଣ ଓଲଟା ଏଥର ମୋଦି ହାୱା ପାଇଁ ବିଜେପି ଓଡ଼ିଶାରେ ଭଲ ପ୍ରଦର୍ଶନ କରିଛି  । ଗତଥର ଅପେକ୍ଷା ଏଥର ବିଜେପି ୧୩ଟି ସିଟ୍ ଅଧିକ ଅକ୍ତିଆର କରିଛି  । ବିଜେପିର ମୋଟ ୨୩ ବିଧାୟକ ଆଉ କଂଗ୍ରେସର ୯ ବିଧାୟକ ନିର୍ବାଚିତ ହୋଇଥିବାରୁ ଏଥର ବିଜେପି ହିଁ ହେବ ବିରୋଧୀ ଦଳ  । ଆଉ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବିଧାୟକ ଦଳ ନେତା ହୋଇପାରନ୍ତି ବୋଲି ଚର୍ଚ୍ଚା ବି ହେଉଛି  ।

ଯଦି ବିଜେପିର ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହୁଅନ୍ତି ତେବେ ବିଜେପି ପୂର୍ବଥର ଅପେକ୍ଷା ଏଥର ଅଧିକ ସକ୍ରିୟ ରହିବ  । କଥାକଥାକେ ବିରୋଧୀ ବିଜେପି ସରକାରଙ୍କୁ ଅଡ଼ୁଆରେ ପକାଇପାରେ  । ସେପଟେ କଂଗ୍ରେସ ବି କିଛି କମ ନୁହେଁ  । କଂଗ୍ରେସର ତଥାକଥିତ ଟାଇଗର ତଥା ‘ବିଧାନସଭା ବାଘ’ ତାରା ବାହିନୀପତି ଏଥର ପୁଣି ଥରେ ବିଜୟର ଟୀକା ପିନ୍ଧି ବିଧାନସଭା ଆସୁଛନ୍ତି  । ଗତ ବିଧାନସଭାରେ ତାରାଙ୍କ ତାତି ଅନେକ ସମୟରେ ଦେଖିବାକୁ ମିଳିଛି  । ଟେବୁଲରେ ଚଢ଼ିବା, ବାଚସ୍ପତିଙ୍କ ମାଇକ ଟାଣିବା, ଗୃହ ଆରମ୍ଭରୁ ତାରାଙ୍କ ନାରା ଅନେକ ଦେଖିବାକୁ ମିଳିଛି  । ତେଣୁ ଏଥର ତାରାଙ୍କ ତାଣ୍ଡବ ଅଧିକ ହେବ ବୋଲି ଅନୁମାନ କରାଯାଉଛି  । ତାରାଙ୍କ ସାଥ୍ ଦେବାକୁ ଆଉ ଜଣେ ‘ଓପନ ମାଇକ୍’ ବିଧାନସଭା ବ୍ୟାକ କରିଛନ୍ତି  । ବିଧାନସଭା ବାହାରେ ବିଭିନ୍ନ ପ୍ରସଙ୍ଗରେ ନବୀନ-ମୋଦିଙ୍କ ଉପରେ ମନ୍ତବ୍ୟ ଦେଇ ଗଣମାଧ୍ୟମର ହେଡଲାଇନ ସାଜୁଥିବା ସୁର ଭାଇ ଏଥର ବିଧାନସଭା ଆସିଛନ୍ତି  । ସେ ମଧ୍ୟ ଗୃହରେ ଗରମ ପ୍ରସଙ୍ଗ ଉଠାଇ ପାରନ୍ତି  । ତେବେ ବିଜୟ ପରେ ସରକାରଙ୍କୁ ସାବଧାନ ରହିବାକୁ ସୁର ଚେତାବନୀ ଦେଇଛନ୍ତି  । ‘ଏଥର ବିଧାନସଭାକୁ ନବଗ୍ରହ ଯାଉଛନ୍ତି, ସାବଧାନ ଥାଅ’ ବୋଲି କହି ସୁର ଫୁତ୍କାର କରିଛନ୍ତି  । ତାରା ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି । ଅନ୍ୟପଟେ ଗଂଜାମର ବାହୁବଳୀ ନେତା ତଥା ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ମଧ୍ୟ ସୁର ଓ ତାରାଙ୍କୁ ସାଥ ଦେବାକୁ କମର କସୁଛନ୍ତି ।

ସେପଟେ ଆଜି ସୂର୍ଯ୍ୟ ପାତ୍ରଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି  । ସର୍ବ ସମ୍ମତି କ୍ରମେ ସୂର୍ଯ୍ୟଙ୍କୁ ବାଚସ୍ପତି କରାଯାଇଛି  । ତେବେ ବାଚସ୍ପତି ହେବା ପରେ ସୂର୍ଯ୍ୟଙ୍କ ପାଇଁ ଅନେକ ଚାଲେଞ୍ଜ ବଢ଼ିଯାଇଛି  । ବିରୋଧୀ ଏଥର ଫୁଲ୍ ଷ୍ଟ୍ରାଟେଜୀରେ ଯାଉଛନ୍ତି ତେଣୁ ତାଙ୍କୁ କେମିତି ପରିଚାଳନା କରି ଗୃହରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବେ ତାହା ସୂର୍ଯ୍ୟଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ  । ତେବେ ୟାରି ଭିତରେ କଂଗ୍ରେସର ନବଗ୍ରହ ଉପାଖ୍ୟାନ ମଧ୍ୟ ତାଜା ହୋଇଛି  । ଗୃହର ଉପରେ ବସିଥିବା ସୂର୍ଯ୍ୟ ନବଗ୍ରହଙ୍କୁ କେମିତି ଶାନ୍ତ କରାଉଛନ୍ତି ତାରି ଉପରେ ନଜର  ।

Get real time updates directly on you device, subscribe now.

Comments
Loading...