ଗାଁରେ ୫ ଷ୍ଟାର୍‌ ହୋଟେଲ ଭଳି ଖାଦ୍ୟ ପ୍ରସ୍ତୁତ କରୁଥିବା ‘ମସ୍ତନାମ୍ମା’ ଆଉ ନାହାନ୍ତି

ଆଉ ନାହାନ୍ତି କିଚେନ୍ କୁଇନ୍ । ସମସ୍ତଙ୍କ ଅତି ଆପଣାର ଜେଜେ ମା ସବୁଦିନ ପାଇଁ ଚାଲିଯାଇଛନ୍ତି ଆର ପାରିକୁ । ସେ ଗତ ୬ ମାସ ଧରି ଅସୁସ୍ଥ ଥିଲେ । ସମସ୍ତଙ୍କୁ ତାଙ୍କ ଗାଉଁଲି ଅନ୍ଦାଜର ସହରୀ ଖାଦ୍ୟ ଦେଇ ବେଶ୍ ଆପଣାର ହୋଇଥିଲେ ଜେଜେ ମା । ତାଙ୍କ ହାତରନ୍ଧା କେବଳ ଭାରତରେ ନୁହେଁ ବରଂ ବିଦେଶରେ ବି ବେଶ୍ ଆଦୃତ ଲାଭ କରିଥିଲା । ତାଙ୍କ ରୋଷେଇର ପ୍ରଚାର ଓ ପ୍ରସାର ପାଇଁ ୨୦୧୬ରେ ୟୁଟ୍ୟୁବରେ ବି ଏକ ଚ୍ୟାନେଲ ଆରମ୍ଭ କରିଥିଲେ । ୟୁଟ୍ୟୁବରେ ତାଙ୍କର ୧୨.୨୦ ଲକ୍ଷ ସବ୍‌ସ୍କ୍ରାଇବର ଥିଲେ। ଗତ ଦୁଇବର୍ଷରେ ମସ୍ତନାମ୍ମାଙ୍କ ସବ୍‌ସ୍କ୍ରାଇବର ସଂଖ୍ୟା ପ୍ରାୟ ଦୁଇଗୁଣ ବଢିଥିଲା। ଯାହାର ନାଁ ଥିଲା ‘କଣ୍ଟ୍ରି ଫୁଡ୍’ ।

ଦୁନିଆର ସବୁଠୁ ବୟସ୍କା ବୃଦ୍ଧା ଭାବରେ ବେଶ୍ ଜଣାଶୁଣା ଥିଲେ ମସ୍ତନାମ୍ମା । ୧୦୭ ବର୍ଷ ବୟସରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ତାଙ୍କ ନିଧନ ହୋଇଛି  । ୨୨ ବର୍ଷରେ ନିଜ ସ୍ୱାମୀଙ୍କୁ ହରାଇଥିଲେ ମସ୍ତନାମ୍ମା । ୫ ପୁଅ ମଧ୍ୟରୁ ୪ ପୁଅଙ୍କ ହଇଜାରେ ମୃତ୍ୟୁ ହୋଇଥିଲା। ପରେ ବେଶ୍ ସଂଘର୍ଷ କରି ଗୋଟିଏ ପୁଅକୁ ମଣିଷ କରାଇଥିଲେ। ମସ୍ତନାମ୍ମା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରୁଥିବାରୁ ନାତି ଲକ୍ଷଣ ଏକ ହୋଟେଲ ଆରମ୍ଭ କରିଥିଲେ। ସେଠାରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ ମସ୍ତନାମ୍ମା।

 

ଗାଁରେ ମିଳୁଥିଲା ସହରୀ ଢାଞ୍ଚାର ସୁଆଦିଆ ଭଳିକି ଭଳି ଖାଦ୍ୟ । ଏପରି ଖାଦ୍ୟ ତାହାପୁଣି କେଉଁ ପଞ୍ଚତାରକା ହୋଟେଲର ରେସିପିଠାରୁ କିଛି କମ୍ ନୁହେଁ ।  ବୟସର ଅପରାହ୍ନରେ ପହଞ୍ଚି ସାରିଥିଲେ ବି ମସ୍ତନାମ୍ମାଙ୍କ ହାତରୁ ବାହାରୁଥିଲା ସହରୀ ଯୁବପିଢୀଙ୍କ ଖାଦ୍ୟର ମହକ । ଗାଁଉଲି ହାଣ୍ଡି,ଚୁଲିରେ ପ୍ରସ୍ତୁତ କରୁଥିଲେ ଭଳିକି ଭଳି ମନଲୋଭା ଡିସ୍ । ଆଉ ଜେଜେ ମାଙ୍କ ହାତ ତିଆରି ଷ୍ଟାଇଲିସ ଫୁଡ୍ ଖାଇବାକୁ ତାଙ୍କ ପାଖକୁ ଛୁଟୁଥିଲା ବାବୁ,ହାକିମଙ୍କ ଲମ୍ବା ଲାଇନ୍ । ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ବହୁବାର ଦେଖଣାହାରୀଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ତାଙ୍କ ହାତ ତିଆରି ଖାଦ୍ୟ ଭିତରେ ଓ୍ୱାଟର ମେଲନ ଚିକେନ୍ କରି,ଭିଲେଜ ଷ୍ଟାଇଲ କେଏଫସି ଚିକେନ୍,କବାବ’କୁ ୟୁଟ୍ୟୁବରେ ଦେଖଣାହାରୀଙ୍କ ପ୍ରଥମ ପସନ୍ଦ ଥିଲା । କେବଳ ଏତିକି ନୁହେଁ ମସ୍ତନାମାଙ୍କ ପ୍ରତିଟି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥାଏ । କେବଳ ପାଟିକୁ ସୁଆଦିଆ ନୁହେଁ ବରଂ ଦେହକୁ ହିତ ଥିଲା ତାଙ୍କ ଖାଇବା । ମୋଟାପା କମାଇବା ହେଉ ଅବା ଡିପ୍ରେସନ୍ ଦୂର କରିବାକୁ ତିଆରି କରୁଥିଲେ ରାଗୁଆ ରାଗୁଆ ଚଟପଟା ଖାଇବା…. ।

 

Comments (0)
Add Comment