ହ୍ରଦକୁ ଡେଇଁ ଏଡସ୍ ଆକ୍ରାନ୍ତ ମହିଳାଙ୍କ ଆତ୍ମହତ୍ୟା

ହ୍ରଦ ପାଣି ଏଡସ୍‌ର ଭୁତାଣୁ ଏଚ୍‌ଆଇଭି ଦ୍ୱାରା ସଂକ୍ରମିତ ହୋଇଥିବା ଗୁଜବ ପ୍ରଚାରିତ ହେବା ପରେ ଗାଁଲୋକେ ହ୍ରଦ ପାଣି ପିଇବାକୁ ମନା କରିଛନ୍ତି ।

କର୍ଣ୍ଣାଟକ ହୁବଲି ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ମୋରାବ ଗାଁରେ ଥିବା ଏକ ହ୍ରଦକୁ ଡେଇଁ ଜଣେ ଏଡସ୍‌ ଆକ୍ରାନ୍ତ ମହିଳା ଆତ୍ମହତ୍ୟା କରିଥିବା ସୂତନା ମଳିଛି । ହ୍ରଦ ପାଣି ଏଡସ୍‌ର ଭୁତାଣୁ ଏଚ୍‌ଆଇଭି ଦ୍ୱାରା ସଂକ୍ରମିତ ହୋଇଥିବା ଗୁଜବ ପ୍ରଚାରିତ ହେବା ପରେ ଗାଁଲୋକେ ହ୍ରଦ ପାଣି ପିଇବାକୁ ମନା କରିଛନ୍ତି । ୩୬ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ହ୍ରଦରୁ ପାଣି ଶୁଖାଇବା ପାଇଁ ଗାଁ ଲୋକେ ଏଥିରେ ଶତାଧିକ ମୋଟର ଲଗାଇ ଏହାକୁ ଶୁଖାଇବା ପ୍ରୟାସ କରୁଛନ୍ତି । ହ୍ରଦକୁ ନିକଟସ୍ଥ ମାଲାପ୍ରଭା କେନାଲରୁ ପାଣି ଆଣି ଭର୍ତ୍ତି କରିବା ଯୋଜନା କରିଛନ୍ତି ଗାଁ ଲୋକେ। ଏହି ଖବର ଏବେ ଜିଲା ପ୍ରଶାସନ ପାଖରେ ପହଞ୍ଚିଛି।

ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ଏଡସ୍‌ ସମ୍ପର୍କରେ ସଚେତନ କରାଇବା କାର୍ଯ୍ୟ ଜାରି ରହିଛି । ତେବେ ଗାଁ ଲୋକେ ଏହା ବୁଝିବାକୁ ନାରାଜ ବୋଲି ହୁବଲି ଚିଫ୍‌ ମେଡିକାଲ ଅଫିସର ଡାକ୍ତର ପ୍ରଭୁ ବିରାଦର ସୂଚନା ଦେଇଛନ୍ତି । ଏଡସ୍‌ ଜଳ ଦ୍ୱାରା ସଂକ୍ରମିତ ହୋଇ ନ ଥାଏ ବୋଲି ଲୋକଙ୍କୁ ପରାମର୍ଶ ଦିଆଗଲେ ମଧ୍ୟ କୌଣସି ସୁଫଳ ମିଳୁ  ନ ଥିବା ସେ କହିଛନ୍ତି ।

ଇତିମଧ୍ୟରେ ମୋରାବ ହ୍ରଦର ୪୦ ପ୍ରତିଶତ ଜଳ ନିଷ୍କାସିତ ହୋଇଛି ଏବଂ ଅବଶିଷ୍ଟ ଜଳ ବାହାର କରିବା ଲାଗି ୨ ଦିନ ସମୟ ଲାଗିବ ବୋଲି ସ୍ଥାନୀୟ ପଞ୍ଚାୟତ ସଦସ୍ୟ ଲକ୍ଷ୍ମଣ ପାଟିଲ କହିଛନ୍ତି । ତେବେ ଏହି କାମ ଶୀଘ୍ର କରିବା ଆବଶ୍ୟକ। କାରଣ ଡିସେମ୍ବର ୮ଠାରୁ କେନାଲରେ ପାଣି ଆସିବା ବନ୍ଦ ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି।

Comments (0)
Add Comment