ବଙ୍ଗୀୟ ପ୍ରେମରେ ରସଗୋଲା

ଓଡିଆଙ୍କ ହାତରେ ତିଆରି ହେଲା ରସଗୋଲା । କିନ୍ତୁ ଏହି ରସଗୋଲା ଓଡିଶାବାସୀଙ୍କ ପାଇଁ ନୁହଁ ବରଂ ପଶ୍ଚିମବଙ୍ଗ ଲୋକ ପାଇବେ ଏହାର ମଜା । ଆମେ ମିଠା ରସଗୋଲା କଥା କହୁନାହୁଁ ଆଜ୍ଞା, ଆମେ କହୁଛୁ ବଙ୍ଗଳା ଚଳଚିତ୍ର ରସଗୋଲାର କଥା । ପ୍ରବାସୀ ଓଡିଆ ପ୍ରଯୋଜକଙ୍କ ବଙ୍ଗଳା ଚଳଚିତ୍ର ରସଗୋଲା ନିର୍ମାଣ ପରେ ଏବେ ତେଜିଛି ବିବାଦ ।

ରସଗୋଲା କାହାର । ଓଡିଶାର ନା ପଶ୍ଚିମବଙ୍ଗର । ଗତକେଇ ଦିନ ଧରି ଏହି ବିବାଦ ଚାଲିଥିବାବେଳେ ପୁଣି ଥରେ ଉଠିଛି ଏହି ଚର୍ଚ୍ଚା । ଏଥର ଓଡିଆଙ୍କ ହାତରେ ପଶ୍ଚିମବଙ୍ଗ ପାଇଁ ରସଗୋଲା ତିଆରି ହେଉଛି । ପଶ୍ଚିମବଙ୍ଗର ଲୋକେ ପାଇବେ ରସଗୋଲାର ମଜା । କଥାଟି ଯଦି ବୁଝିହେଉନାହିଁ ତାହେଲେ ଏହି ଟ୍ରେଲର ଉପରେ ଟିକେ ନଜର ପକାଇଦିଅନ୍ତୁ ।

ପ୍ରଯୋଜକ ଅକ୍ଷୟ ପରିଜା ପଶ୍ଚିମବଙ୍ଗ ପାଇଁ ତିଆରି କରୁଛନ୍ତି ଏହି ବଙ୍ଗଳା ଚଳଚିତ୍ର ରସଗୋଲା । ପ୍ରେମିକାଙ୍କୁ ଆକୃଷ୍ଟ କରିବା ପାଇଁ ନବୀନ ଚନ୍ଦ୍ର ଦାସ କିପରି ରସଗୋଲା ତିଆରି କଲେ ,ସେହି ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଚଳଚିତ୍ର ରସଗୋଲା । ରସଗୋଲାକୁ ନେଇ ବିବାଦ ଶୀଥିଳ ପଡିଯାଇଥିବାବେଳେ ଏଥିରେ ଘିଅ ଢାଳିଛନ୍ତି ପ୍ରବାସୀ ଓଡିଆ ପ୍ରଯୋଜକ ଅକ୍ଷୟ ପରିଜା । ଏହାକୁ ନେଇ ଓଡିଆ ବନାମ ଓଡିଆ ବିବାଦ ଆରମ୍ଭ ହୋଇଗଲାଣି ।

ଓଡିଶାବାସୀ ଓ ଓଡିଶାର ସଂସ୍କୃତିକୁ କଷ୍ଟ ଦେବା ମୋର ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଏହା ସତ୍ୟ ଘଟଣା ଉପରେ ଆଧାରିତ ହେଇଛି । ଏହାର ରସଗୋଲାର ଉତ୍ପତ୍ତି ନେଇ କୌଣସି ସୂଚନା ଦେଉନଥିବା ସେ କହିଛନ୍ତି । ତେବେ ଆଗାମୀ ଦିନରେ ଓଡିଶାର ରସଗୋଲାର ଉତ୍ପତ୍ତି ଓ ଜଗନ୍ନାଥ ସଂସ୍କୃତି ଉପରେ ଆଉ ଏକ ଚଳଚିତ୍ର ନିର୍ମାଣ କରିବାକୁ ଯୋଜନା କରାଯାଉଥିବା ଅକ୍ଷୟ ପରିଜା କହିଛନ୍ତି । ତେବେ ଏଥିପାଇଁ ପାଖାପାଖି ୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଯିବ ବୋଲି ସେ କହିଛନ୍ତି ।

ବଙ୍ଗଳା ଚଳଚିତ୍ର ରସଗୋଲାର ଟ୍ରେଲର ରିଲିଜ ହେବା ପରେ ଏବେ ଓଡିଆଙ୍କ ଭିତରେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

Comments (0)
Add Comment